Unknown

 

 

 

 

 

 

 

 

 

ଉତ୍କଳ-ଗୀତି

ଶ୍ରୀମତୀ ଦେବହୂତି ଦେଈ

 

 

 

 

 

ଅଭିମତ

 

ସୁଲେଖିକା ଶ୍ରୀମତୀ ଦେବହୂତି ଦେବୀଙ୍କ ଲିଖିତ ‘ଉତ୍କଳ ଗୀତି’ର କେତୋଟି କବିତା ପଢ଼ିଲି । ବାସ୍ତବିକ୍‍ କବିତା ଗୁଡ଼ିକରେ ଦେଶପ୍ରୀତିର ଭାବ ଉଚ୍ଛୁଳି ପଡ଼ୁଛି । ଆଶା କରେଁ କବିତା ଗୁଡ଼ଇକ ଉତ୍କଳ ସନ୍ତାନମାନଙ୍କୁ ସାମ୍ୟ, ମୈତ୍ରୀ ଓ ଐକ୍ୟର ବାଣୀ ଶୁଣାଇ ଦେଶ ମାତୃକାର ମୁଖ ଉଜ୍ଜ୍ୱଳ କରିବାକୁ ଉଦ୍‍ବୋଦନ ଦେବ ।

 

କଟକ

ଶ୍ରୀ ଅନନ୍ତପ୍ରସାଦ ପଣ୍ଡା

୭ । ୨ । ୪୭

 

•••

 

 

 

 

 

 

ଉତ୍ସର୍ଗ

 

ନବ ଉତ୍କଳର ମହିମ ମୟୀ-ମହିଳା

ଶ୍ରୀମତୀ ରମା ଦେବୀଙ୍କ

ନାମରେ

 

ଅନୁଗତା

‘ଦେବ’

•••

 

ଏକ

 

ଉତ୍କଳ କୋଳେ

ଜନମ ମୋର ତା

ହିତେ ଯାଉ ଏ ପ୍ରାଣ

ସକଳ ସୁଖ

ତେଜି ମୁଁ ହେଳେ

ରଖିବି ଉତ୍କଳ ମାନ

ଜୀବନ ପଣ

କରି ମୁଁ ତାର

ନାଶିବ ଦୁଃଖ ଘୋର

ସକଳ ଦେଶ

ମଉଡ଼ ମଣି

ଉତ୍କଳ ଜନନୀ ମୋର ।୧।

କୀର୍ତ୍ତି ମାଳିନୀ

ଉତ୍କଳ ରାଣୀ

ଅସୀମ ସମ୍ପଦେ ଭରା

ବୀର ଜନନୀ

ରୁଚିର ଠାଣୀ

ବିଷାଦ ବେଦନା ହରା

ତା ସେବା ବ୍ରତ

ଧରି ସତତ

ଯାଉ ଏ ଜୀବନ ମୋର

ସକଳ ଦେଶ

ମଉଡ଼ ମଣି

ଉତ୍କଳ ଜନନୀ ମୋର ।୨।

ଗରବେ ଛାତି

ଉଠଇ ମାତି

ଉତ୍କଳର ନାମ ଧରି

ଉତ୍କଳ ଯଶେ

ଆନନ୍ଦ ରସେ

ଯାଉ ମୋ ହୃଦୟ ଭରି

ମହିମା ତାର

ଦେଖୁ ସଂସାର

ବିସ୍ମୟେ ହୋଇ ବିଭୋର

ସକଳ ଦେଶ

ମଉଡ଼ ମଣି

ଉତ୍କଳ ଜନନୀ ମୋର ।୩।

ନୀଳ ସାଗର

ପବିତ୍ରତର

ଯାର ପଦରେଣୁ ଚୁମି

ଶୂର ଶୋଣିତ

ପ୍ରବାହେ ସିକ୍ତ

ଶସ୍ୟ ଶ୍ୟାମଳା ଭୂମି

ଯା ଦିବ୍ୟ ଜ୍ଞାନ

ନାଶେ ଅଜ୍ଞାନ

ହୃଦ ତାମସ ଘୋର

ସକଳ ଦେଶ

ମଉଡ ମଣି

ଉତ୍କଳ ଜନନୀ ମୋର ।୪।

କରୁଣାମୟୀ

ଜନନୀ ସେହି

ନିତରଇ ଅନ୍ନରାଶି

ମିତ୍ର ବଇରି

ନାହିଁ ତାହାରି

ଯେ ମାଗେ ଦ୍ୱାରେ ଆସି

ଗୌରବମୟ

ଅତୀତ ତାର

ସୁମରି ନାଚେ ଅନ୍ତର

ସକଳ ଦେଶ

ମଉଡ ମଣି

ଉତ୍କଳ ଜନନୀ ମୋର ।୫।

ଜନନୀ ମୋର

ଉତ୍କ୍ୱଳ ରୂପେ

ଜଗତ ସଭା ବେଳେ

ରାଜିବା ପାଇଁ

ଏ ତୁଚ୍ଛ ପ୍ରାଣ

ଦେବି ମୁଁ ଅବହେଳେ

ସ୍ୱାର୍ଥ ବିସରି

ଗୌରବ ତାର

କରିବି ଉଜ୍ଜ୍ୱଳତର

ସକଳ ଦେଶ

ମଉଡ ମଣି

ଉତ୍କଳ ଜନନୀ ମୋର ।୬।

•••

 

ଦୁଇ

 

ପାଶୋର ଏବେ ଅତୀତ ବ୍ୟଥା

ଲିଭିଛି ଦୁଃଖ ଜ୍ୱାଳା

ସୁଖ ସୁଦିନ ଦ୍ୱାରେ ଆଗତ

ଘେନି ବରଣମାଳା ।

 

ପିନ୍ଧାଇ ଦେବ ଜନନୀ ଗଳେ

ବନ୍ଦାଇ ନେବି ନବ ଉତ୍କଳେ

ରତନ ସିଂହାସନେ ବସାଇ ନାଚିବେ ଦେବକାଳା ।

 

ଘେନି ଗଞ୍ଜାମ ନୂତନ ପାଟ

ମେଦିନିପୂର ମଣି ମୁକୁଟ

ପୂଜିବେ ପାଦ ସକଳ ସଖି ଅର୍ପି ଅରଘ ଡାଲା ।

 

ଓଡ଼ିଆ ପୁଏ ହୋଇ ଅଗ୍ରଣୀ

ଚାଳିବେ ପୁଣି ନବ ତରଣୀ

ସାଗର ବକ୍ଷେ ସୃଜିବ ସେ ଯେ ଅସଂଖ୍ୟ ଉର୍ମିମାଳା ।

 

ଅରିଜି ପ୍ରଜ୍ଞା ବିଦ୍ୟା ଗରିମା

ଉତ୍କଳ ବାର ସ୍ୱେଦଶ ସୀମା

ଲଙ୍ଘି ଚଳିବ ଦିଗ୍‌ବିଜୟେ ଆଣିବ ଜୟମାଳା ।

ପାଶୋର ଏବେ ଅତୀତ ବ୍ୟଥା ଲିଭିଛି ଦୁଃଖ ଜ୍ୱାଳା

•••

 

ତିନି

ଉତ୍କଳ ଜନନୀ ଉତ୍କଳ ଜନନୀ

ଦୁଃଖ ନିଶା ତୋର ପାହିଲାଣି

ଚାହିଁ ଦେଖ ଏବେ ଉଦୟ ଅଚଳେ

ନବ ତେଜେ ରବି ଉଇଁଲାଣି ।

ନୀଳାଚଳ ପତି ଯା ହୃଦ କମଳେ

ଦିଅନ୍ତି ମୁକତି ଜୀବେ ଲୀଳା ଛଳେ

ସେ କିମ୍ପାଇ ପଡ଼ି ପରର ପନ୍ଦାରେ

ବିଶ୍ୱନେତ୍ରେ ହେବ ହୀନିମାନୀ ।

ସ୍ୱାର୍ଥ ତେଜି କରି ଜୀବନ ବିପନ୍ନ

ସାତ ସିନ୍ଧୁ ଡେଇଁ ଉତ୍କଳ ନନ୍ଦନ

ଅତୀତ ଗୌରବ ବଖାଣି ତୋହର

ମୁକୁତିର ଯଥା ଫେଇଲାଣି ।

ଧନ୍ୟ ହେଉ ଏବେ ଓଡ଼ିଆ ଜୀବନ

ନୁହେଁ ସେ କାତର ଦେବାକୁ ପରାଣ

ଫୁଟାଇବା ପାଇଁ ହସ ତୋ ବଦନେ

ଦେଖିବାକୁ ପୂର୍ଣ୍ଣ ରୂପ ଠାଣି ।

•••

 

ଚାରି

କି ମଧୁ ସ୍ୱର ଉଠଇ ବାଜି

ଗୋପନ ତାରେ ମରମରେ

ବିଷାଦ ରାଶି ଯାଇଛି ଭାସି

କେଉଁ ଅମୃତ ପରଶରେ

ନବ ଆଲୋକ ଆଭା ରଞ୍ଜିତ

କି ମହା ଭାବେ ଭରିଚି ଚିତ୍ତ

ଆଶା ମୁକୁଳ, ଫୁଟିଛି ଫୁଲ

ପୁରିଚି ମନ ହରଷରେ

ନବୀନ ରୂପେ ଉତ୍କଳ ରାଣୀ

ବିରାଜେ କିବା ରୁଚିର ଠାଣୀ

ବିଜୟ ଶଙ୍ଖ ବାଜଇ ଆଜି ନବ ଉତ୍କଳ ଘରେ ଘରେ ।

ଆନନ୍ଦ ତରୁ ଧରିବ ଫଳ

ଯେତେ ବିଚ୍ଛିନ୍ନ ଭାଇ ସକଳ

ବିପୁଳ ବଳେ ଏଡାଇ ବାଧା

ମିଶିଲେ ଆମ ସଙ୍ଗତରେ ।

•••

 

ପାଞ୍ଚ

ଯାଇଚି ଘୁଞ୍ଚି ଦୁଃଖ କାଳିମା

ପାହିଚି ଆଜି ଅମା ରାତି

ଉତ୍କଳ ନଭେ ଉଦୟ ଏବେ

ନବ ଅରୁଣ ନବ ଭାତି ।

କୋଣାର୍କ କଳା ନାହିଁଟି ଲିଭି

ଏକାମ୍ର ଚାରୁ ବିଭବ ଛବି

ନୀରବେ ବାରବାଟୀ ପ୍ରାଙ୍ଗଣ

ଘୋଷେ ଓଡ଼ିଆ ବୀର ଜାତି ।

ଉଡଇ ନିଳାଚଳେ କେତନ

କୈବଲ୍ୟ ବାନ୍ଧେ ପ୍ରୀତି ବନ୍ଧନ

ତରଙ୍ଗ ଗାନେ ସାଗର ଗାଏ

ପୂର୍ବ ଉତ୍କଳ ତରୀ ଖ୍ୟାତି ।

ଅମର କବି କୁଳ ଜନନୀ-

ଉତ୍କଳ ଶୋଭା ସମ୍ପଦ ଖଣି

କୁହ ହେ ଦୀନ ଓଡ଼ିଆ ପୁଅ

ଉଠ ହେ ନବ ବଳେ ମାତି ।

•••

 

ଛଅ

 

ଅତୀତରେ ଆଶା ସଫଳ ହୋଇଚି

ଶୁଭରେ ପାହିଚି ରାତି

ଆସ ଆସ ଭାଇ ମିଳି ଏକଠାଇଁ

ଛାତିରେ ମିଶାଅ ଛାତି,

(ଆଜି) ଆସ ହେ ସକଳ ଓଡ଼ିଆ ଭାଇ

ଉତ୍କଳ ଜନନୀ ମଙ୍ଗଳ ଗାଇ

(ମାତ) ମାଆର ହରଷ ମୁହଁକୁ ଚାହିଁ ।

 

ରାଜରାଣୀ ରୂପ ଜନନୀର ଦେଖି ଆନନ୍ଦରେ ଯାଅ ଭାସି

ବିଶ୍ୱରାଜ୍ୟେ ମାଆ ଗୌରବରେ ଠିଆ ଜାଗ୍ରତ ଉତ୍କଳବାସୀ

ଉତ୍କଳର ଜୟ ଆନନ୍ଦେ ଗାଇ

ଚାଲ ହେ ଗରବେ ଛାତି ଫୁଲାଇ

ଗାଅ ଜୟ ଉତ୍କଳ ନବ ଉତ୍କଳ ଜୟ ଉତ୍କଳ ବାସୀ ।

 

ଜଗତରେ ଆଜି ସବୁ ଦେଶ ସଙ୍ଗେ ଜନନୀ ଲଭିଚି ସ୍ଥାନ

ଓଡ଼ିଆ ପୁଅର କୃତିତ୍ୱରେ ସେ ଯେ ବିଭୁଙ୍କ ଆଶିଷ ଦାନ

ବିଭୁଙ୍କ ଚରଣେ ମଥା ଲଗାଇ

 

ବାନ୍ଧ ହେ ଆଶା ଓଡ଼ିଆ ଭାଇ

ମାଆର ପୂର୍ଣ୍ଣାଙ୍ଗ ଦେଖିବା ପାଇଁ ।

 

(୧୯୩୬ ପଟନା ସ୍ୱତନ୍ତ୍ର ଉତ୍କଳ ଓଡିଆ ସମ୍ମିଳନୀରେ ପଠିତ)

•••

 

ସାତ

 

ମଧୁରେ ମଧୁ ମିଳନ ଆଜି

ଆନନ୍ଦେ ନାଚି ଉଠେ ମନ

ଅସୀମ ବଳ ହୃଦୟେ ଭରେ

ଭାଇ ଭାଇର ଆଲିଙ୍ଗନ

ସକଳେ ଏକ ମାଆର ପୁଅ

ଏକ ଭାଷାରେ ଫିଟିଚି ମୁହଁ

ଓଡ଼ିଆ ନାମ କରଇ ଆମ ଶ୍ରବଣେ

ମଧୁ ବରଷଣ ।

 

ଜନନୀ କୋଳୁ ସୁଦୂରେ ଥାଇ

ନ ଭୁଲ କେବେ ଓଡ଼ିଆ ଭାଇ

ଉତ୍କଳ ଭାଷା ଗୌରବ ତବ ଉତ୍କଳ ରୂପ ଇଷ୍ଟସ୍ୱପ୍ନ ।

 

ଏ ଦେହ ପ୍ରତି ରକତ କଣ

ଉତ୍କଳ ଜଳ ଫଳେ ଉତ୍ପନ

ଉତ୍କଳେ ଯଶଃ ସର୍ବଦା ଚିନ୍ତା ଧରାରେ

ରହୁ ଏ ଜୀବନ ।

•••

 

ଆଠ

 

ଉଛୁଳଇ ଆଜି ଉତ୍କଳର ବକ୍ଷ ବିପୁଳ ମୁଲକ ଧାରେ

ଖେଳି ଯାଏ ନବ ଆନନ୍ଦ ପରଶ ହୃଦୟର ବୀଣା ତାରେ ।

ତୁଟିଛି ଗଭୀର ଅମା ଅନ୍ଧକାର ଉଠିଛି ଉଜ୍ଜ୍ୱଳ ରବି

ଆଶାର ଆଲୋକେ ଆଲୋକିତ ଏବେ ଜନନୀ ବଦନ ଛବି ।

ଉଲ୍ଲାସେ ଉଛୁଳେ ଚିତ୍ରୋତ୍ପଳା ବାରି ଚକିତେ ଚିଲିକା ଚାହେଁ

ଉତ୍କଳର ଜୟ ଗମ୍ଭୀର ନିଘୋଷେ ମହୋଦଧି ଉର୍ମି ଗାଏ ।

ନିଳାଚଳ ଚୂଡେ ଉଡେ ଫର ହର ସ୍ୱତନ୍ତ୍ର ଉତ୍କଳ ନେତ

ଆସ ଭାଇମାନେ ମାତି ନବ ତାନେ ହେବା ତହିଁ ସମବେତ ।

ଆଜି ଯେ ଯାହାର ଶକତି ସମ୍ଭାର ମାଆ ଲାଗି କର ଦାନ

ଘଞ୍ଚାଅ ମାଆର ସକଳ ଅଭାବ ରଖ ହେ ମାଆର ମାନ ।

ଯହିଁ ଅଛ ଯିଏ ଏଣିକି ସଭିଏଁ ଆସ ହେ ଓଡ଼ିଆ ପୁଅ

ଆପଣା କର୍ତ୍ତବ୍ୟ ପାଳି ପୋଛି ଦିଅ ଜନନୀ ନୟନୁ ଲୁହ ।

ଭାଇ ଭାଇ ଗାଢ଼ ଆଲିଙ୍ଗନେ ମାଆ ଛିନ୍ନ ଅଙ୍ଗ ଦିଅ ଯୋଡ଼ି

ଏ ମଧୁ ମିଳନେ ସୁଖ ଉଠୁ ଘନେ ସବୁ ଦୁଃଖ ଯାଉ ପୋଡ଼ି ।

ନିତି ନବ ନବ କୀରତି ଭୂଷଣ ପିନ୍ଧାଅ ମା ଅପଘନେ

ରାଜରାଣୀ ରୂପେ ଉତ୍କଳ ଜନନୀ ରାଜୁ ବିଶ୍ୱ ସଭାସନେ ।

କମ୍ପାଇ ସାଗର ଭୂଧର ଅମ୍ବର ଗାଅ ଉତ୍କଳର ଜୟ

ଧନ୍ୟ ଆଜି ଓଡ଼ିଆ ଜୀବନ ଉତ୍କଳ ଆନନ୍ଦ ମୟ ।

 

(୧୯୩୬ ପାଟନା ସ୍ୱତନ୍ତ୍ର ଉତ୍କଳ ଓଡ଼ିଆ ସମ୍ମିଳନୀରେ ପଠିତ)

•••

 

ନଅ

ଦିନ ହୀନ ବେଶ ଘୁଞ୍ଚିଚି ମାଆର

ଶୁଖିଛି ନୟନୁ ପାଣି

ଆସ ଆସ ଭାଇ ଦେଖ ଥରେ ଚାହିଁ ଉତ୍କଳ ରୁଚିର ଠାଣି ।

ଭାଇ ହେ ଆଜି ବଡ ସୁଦିନ

ଉଭେଇ ଗଲାଣି ଦୁଃଖ ଦୁର୍ଦ୍ଦିନ ।।

ପର୍ଣ୍ଣାଙ୍ଗୀ ଜନନୀ ରାଜରାଣୀ ରୂପ

ଦେଖିବାକୁ ଯେବେ ମନ

ଧନ ମନ ପ୍ରାଣ ମାଆ ପଦ ତଳେ କର ବେଗେ ସମପଣ ।

ଆନନ୍ଦେ ମିଳି ସକଳ ଭାଇ

ହୃଦୟରେ ହୃଦ ଦିଅ ମିଶାଇ ।।

ଓଡ଼ିଆ ରକତ ହୋଇ ନାହିଁ ଲୁପ୍ତ ଲିଭି ନାହିଁ ଉନ୍ମାଦନା

ଜଣାଇ ଦେଉଚି ତାର ଏ କୀରତି

ଜାଗିଛି ମନେ ଚେତନା ।

ତେଣୁ ସେ ସାତ ସାଗର ଡେଇଁ

ମାଆର ମୁକୁଟ ଆସିଛି ନେଇ ।।

(ପାଟନା ଦେଶ ମିଶ୍ରଣ ଓଡ଼ିଆ ସମ୍ମିଳନୀରେ ପଠିତ ୧୯୩୬)

•••

 

ଦଶ

ଉଦାସ କିଆଁ ପ୍ରାଣ

ରଜନୀ ଅବସାନ

ଉଠ ନବ ତେଜେ ଅସି ଧରି ଭଜେ ଗାଇ ବିଜୟ ଗାନ ।

ଶକ୍ତି ସାଧନା ଆଜି

କର୍ମ ମନ୍ତ୍ରେ ବାଜି

ଚମକାଇ ଧରା ସିଦ୍ଧି ଲଭୁ ତ୍ୱରା ଦୁର୍ଗମ ଅଭିଯାନ ।

ଶଙ୍କା ଯାଇଛି ଦୂରେ

ଧୈର୍ଯ୍ୟେ ହୃଦୟ ପୂରେ

ବାଧା ବିଘ୍ନ ରାଜି ଧୂଳି ସମ ଆଜି ସାହସେ ଭର ପ୍ରାଣ ।

ନାହିଁ ମରଣ ଭୟ

ଶୌର୍ଯ୍ୟର ଆଜି ଜୟ

ମୃତ୍ୟୁ ଅନ୍ଧକାର ଆସେ ହୋଇ ପାର ଅମର ଆନନ୍ଦ ଗାନ ।

•••

 

ଏଗାର

ଉଠ ହେ ଉଠ ହେ ସୁପ୍ତ ଓଡ଼ିଆ

ବୀର ଓଡ଼ିଆ ଜାତି

ଆସ ହେ ଆସ ହେ ମାଆ କୋଳେ ଧାଇଁ

ଜାତୀୟ ଗରବେ ମାତି ।

ଉତ୍କଳ ଜନନୀ ବିକଳାଙ୍ଗୀ ହୋଇ

ପୁଅଙ୍କୁ ସୁମରି ଅଧିରେ କାନ୍ଦଇ

ଦେଖି କି ହେ ଭାଇ ଦୁଃଖ ନ ଆସଇ

ପଥର କଲ କି ଛାତି !

ଉତ୍କଳୀୟ ନାମେ ଦେଇ ପରିଚୟ

ଜନନୀ ନୟନୁ ପୋଛିଦିଅ ଲୁହ

ବିଷାଦ ତାମସ ଲୁଚି ଯିବ ଏବେ ଦିଶିଲାଣି ଆଶା ଭାତି ।

ମଧୁର ମିଳନେ ମିଳି ସର୍ବ ଭାଇ

ଉତ୍କଳର ଜୟ ଉଚ୍ଚ କଣ୍ଠେ ଗାଇ

ଜନନୀର କୋଳେ ଧାଇଁ ଆସ ଭୋଳେ

ମାଆ ଅଛି କୋଳପତି ।

(ବିଚ୍ଛିନ୍ନ ଓଡ଼ିଆଙ୍କ ପ୍ରତି)

•••

 

ବାର

ଏ ନବୀନ ଯୁଗେ ନବୀନ ଉତ୍ସାହେ ଉଠ ହେ ଉତ୍କଳ ବାସୀ

ନୂତନ ଆହରେ ଦେଖାଅ ସରବେ ନବୀନ ପ୍ରଭାବ ରାଶି ।

ଅମୂଲ୍ୟ ପ୍ରାଚୀନ କୀରତି ଧନେ

ସମ୍ବଳ ମାତ୍ରକ କରି ଜୀବନେ

କେତେ କାଳ ଆଉ ସକଳ କରମେ

ରହିବ ହୋଇ ଉଦାସୀ ।

ସ୍ୱାର୍ଥ ଅହଂକାର ଦୂରକୁ ଠେଲି

ଚାହିଁ ଥରେ ଭାଇ ନୟନ ମେଲି

ଏ ନବ ଯୁଗରେ ନବ ପ୍ରଭାବରେ ଜାଗିଲେଣି ବିଶ୍ୱବାସୀ ।

ତୁମରି ପୂରବ ଜ୍ଞାନ ବିଜ୍ଞାନ

ଥରେ ହେଲେ ଭାଇ ମନରେ ଆଣ

ଆଦରଶ ତୁଲ ହୋଇଥିଲା ବିଶ୍ୱେ ଯେ ଅମୂଲ୍ୟ ଗୁଣ ରାଶି ।

ନବୀନ ପାଚୀନ ଜ୍ଞାନ ମିଶାଇ

ଅକ୍ଷର କୀରତି ସ୍ଥାପ ହେ ଭାଇ

ସେ ଗୁଣ ସୌରଭ ସମୀର ହିଲ୍ଲୋଳେ

ଦେଶେ ଦେଶେ ଯଡ ଭାସ ।

•••

 

ତେର

ଜାଗ ଜାଗ ଭାଇ ଆଜି ଏ ସୁଦିନେ

ମୋହନିଦ୍ରା ମନୁ ତୁଟାଅ ।

ଉତ୍କଳ ଜନନୀ ଜୟ ଜୟ ଧ୍ୱନୀ

ଦିଗ ଦିଗନ୍ତରେ ଉଠାଅ ।

ଧଇର୍ଯ୍ୟ ସାହସେ ହୃଦ ଦମ୍ଭ କରି

ଜନନୀର ହିତେ ଦିଅ ଆତ୍ମବଳୀ

ଲୁପ୍ତ ଗୌରବ ସୁପ୍ତ ସୌରଭ ପୁଣି ମନ୍ତ୍ରବଳେ ଛୁଟାଅ ।

ଜୀବନକୁ ପଣ କର ଦେଶ ଧର୍ମ୍ମେ

ଲଗାଅ ଜୀବନ ଦେଶ ହିତ କର୍ମ୍ମେ

ଯେ ଦେଶ ମାଟିରେ ଗଢ଼ା ଏ ଶରୀର

ତା ପଦେ ମସ୍ତକ ଲୁଟାଅ ।

•••

 

ଚଉଦ

ଆଜି ନବ ତେଜେ ନବ ବଳେ

ଉଠ ହେ ଓଡ଼ିଆ ଭାଇ

ନବୀନ ଉତ୍ସାହେ ସର୍ବେ

ଜନନୀର ଜୟ ଗାଇ ।

ଯେ ଯହିଁ ରହିଛ ସର୍ବେ

ଦେଶ ହିତେ ମାତି ଗର୍ବେ

ଉତ୍କଳ ପବିତ୍ର ବକ୍ଷେ ମହାନନ୍ଦେ ଆସ ଧାଇଁ ।

ପୁତ୍ରଙ୍କ ବିଚ୍ଛେଦ ଦୁଃଖେ

ମାତା ସଦା ଅଶ୍ରୁ ମୁଖେ

ରହିଛି ପ୍ରତୀକ୍ଷା କରି ସେ ଶୁଭ ମିଳନ ପାଇଁ ।

ଆସ ହେ ସକଳ ପୁଅ

ପୋଛି ଦିଅ ମାତା ଲୁହ

ଶୁଭେ ଭାଇ ସଙ୍ଗେ ଭାଇ

ଦିଅ ହୃଦୟ ମିଶାଇ ।

•••

 

ପନ୍ଦର

ଜାଗ ଜାଗରେ ମୋର କୋଟି କୁମର

ଏ ଶୁଭ ଦିବସେ

ଆଉ ଶୋଇ ଏମନ୍ତେ ସମୟ କେତେ

କାଟିବ ଅଳସେ ।

ଦେଖ ଏ ଭାରତ କୋଳେ

ଆଉ ଯେତେ ଜାତି

ନବ ତେଜେ ନବ ଦଳେ

ଉଠିଲେଣି ମାତି ।

ଏକା କିରେ ମୋର ଯେତେକ କୁମର

ନିର୍ଜୀବ ହୋଇଣ

ପଡ଼ିଥିବ ଶେଷେ ।

(ଦେଶ ମିଶ୍ରଣ ଜାତୀୟ ସଂଗୀତରେ ପ୍ରକାଶିତ)

•••

 

ମାଆର ଡାକ–

ଷୋହଳ

ଉଠିବ କି ଆରେ ଦୁଃଖିନୀ ପୁଅ

ଶୁଖିବ କି ମୋର ଏ ନୟନୁ ଲୁହ

ଛିନ୍ନ ଅଙ୍ଗ ମୋର ପୂର୍ଣ୍ଣ ହେବ ପରା

ତୁମରି ମଧୁର ମିଳନେ !

ଆସିଛି ସେ ଦିନ ଆଜି ତବ ପାଶେ

ଆଉ କିଆଁ ଶୋଇ ରହିଛ ଅଳସେ

ଏକାଳେ ସୁମର ଦୁଃଖିନୀ ମାତାକୁ

ଯେ ଯହିଁ ଅଛ ମୋ ନନ୍ଦନେ ।

ଧାଇଁଯାଅ ମୋର କେଳୁ ସ୍ନତମାନେ

ଅଛନ୍ତି ଯହିଁ ମୋ ବିଛିନ୍ନ ସନ୍ତାନେ

ଖୋଜି ଲୋଡ଼ି ତାଙ୍କୁ ବୁଝାଇ ଆଦରେ

ଆଣ ମୋର କୋଳେ ଯତନେ ।

ଭାଇ ଭାଇ ବଦ୍ଧ ହୋଇ ଆଲିଙ୍ଗନେ

ଯୋଡ଼ି ଦିଅ ମୋର ଛିନ୍ନ ଅପଘନେ

କେତେ ଦିନ ଆଉ ଥିବରେ ଉଦାସୀ

ଏ ଘୋର କଷଣ ମୋଚନେ ।

•••

 

ଉବ୍ଦୋଧନ–

ସତର

ଆଜି ନବୀନ ଚେତନା ପାଇ ଉଠ ହେ ସକଳ ଭାଇ

ଜନନୀର ହିତେ ମତି ଦିଅ ବହନ

ମାଆର କଷଣ ଦେଖି ନୀରବେ ମୁଦିଛ ଆଖି

ନୁହଁ କି ହେ ଭାଇ ତୁମେ ମାତା ନନ୍ଦନ

ପ୍ରାଣ ପଣେ ସର୍ବ କୁମର

ଜନନୀ ସେବାରେ ଏବେ ହୁଅ ତତ୍‌ପର ।୧।

ତୁମ ପରି କୋଟି ଭାତା କୋଳେ ଧରି ଆମ ମାତା

ସହିଲା ଏ ଦୀର୍ଘକାଳ କେତେ କଷଣ

ଗଙ୍ଗାଠାରୁ ଗୋଦାବରୀ ସନ୍ନିଧେ ଅଙ୍ଗ ବିସ୍ତାରି

ହର୍ଷେ ପୂରିଥିଲା ପରା ମାଆ ଆନନ୍ଦ

ତାହା ଏବେ ଛିନ୍ନ ବିଛିନ୍ନ

ବିକଳାଙ୍ଗୀ ଦୁଃଖେ ମାତା ହୃଦ ବିଦୀର୍ଣ୍ଣ ।୨।

ତୁମରି ଦୋଷରୁ ଏବେ କାନ୍ଦଇ ମାତା ନୀରବେ

ଦେଖି ନିନ୍ଦନ୍ତି ଆମକୁ ଜଗତ ଜନ

ନଦ ନଦୀ ବନ ଗିରି ଆହା କି ଅପୂର୍ବ ଶିରି

ଉତ୍କଳ ରାଣୀର ଚାରୁ ଅଙ୍ଗ ଭୂଷଣ ।

ସବୁ ଏବେ କି ଛାର ଖାର

ମାଜଣା ଅଭାବେ ନ ଦିଶଇ ବାହାର ।୩।

ନୀଳ ସିନ୍ଧୂ ଅବିରତ ଯାପଦ ସେବାରେ ରତ

ଭେଟି ଦିଏ ନାନା ରତ୍ନ ଚରଣ ତଳେ

କୋଣାରକ ନୀଳାଚଳ ବିରଜା ଏକାମ୍ର ସ୍ଥଳ

ଅମୂଲ୍ୟ କୀରତି ମାଳା ଲୋଟେ ଯା ଗଳେ

ଆଉ କାହିଁ ଯୋଗ୍ୟ ନନ୍ଦନ

ପିନ୍ଧାଇବ ମାତା ଅଙ୍ଗେ ନବ ଭୂଷଣ ।୪।

ଖଣ୍ଡଗିରି ଉଦେଗିରି ଧଉଳୀ ଅପୂର୍ବ ଶିରି

ସ୍ୱର୍ଗୀୟ ସମ୍ପଦ ଧରି ଉଭା ନୀରବେ

ମହେନ୍ଦ୍ର ମେଘ ଆସନ ମାଲ୍ୟଗିରି ସୁଶୋଭନ

ରାଜନ୍ତି ଯା କୋଳେ ମଥା ଟେକି ଗରବେ

ଏ ଭୂମିର ସମ୍ପଦ ରାଶି

ଜଗତ ଜନ ସମକ୍ଷେ ଉଠଇ ଭାସି ।୫।

ଚିଲିକା ଅଂଶୁପା ସର ଯା ଅଙ୍କେ ଶୋଭା ଆକର

ସେହିଟି ଆମ୍ଭର ମାତା ଉତ୍କଳର ରାଣୀ

ଯା ଅଙ୍ଗ ସୁସମା ଲାଗି ପ୍ରକୃତି ରତନ ରାଜି

ସ୍ୱତ୍ତ ନିଜ କରେ ବିଧି ଖଞ୍ଜନ୍ତି ଆଣି

ଆଦର ନାହିଁ ସେ ଶୋଭାର

ନ ବଢ଼େ ଦେଶେ ବିଦେଶେ ମହିମା ତାର ।୬।

ସେହି ମାତା ପ୍ରିୟ ପୁଅ ଦେଖୁଛ କିପରି କହ

ମାଆର ସୁନ୍ଦର ଦେହ ଛିନ୍ନ ବିଛିନ୍ନ

ଏକ ମାଆ କୋଳେ ଜାତ ହୋଇଣ ସକଳ ଭ୍ରାତ

ଏବେ କିଆଁ ମା ଛାଡ଼ି ରହିଛ ଭିନ୍ନ

ଯାତନା କି ନ ଜାଗେ ମନେ

କି ଘେନି କରିବ ଗର୍ବ ବିଶ୍ୱ ଭୁବନେ ।୭।

ମା ଲାଗି ତବ ହୃଦୟ ହେଉନାହିଁ କି ଅଥୟ

ସତ କରି କହ ମୋର ଓଡ଼ିଆ ଭାଇ

ପ୍ରସାରିଛି ମାତା କୋଳ ଆସିଛି ଅମୃତ ବେଳ

ଆସ ଆସ ମାଆ କୋଳେ ଅସରେ ଧାଇଁ

ଜନନୀର ଯୋଗ୍ୟ ନନ୍ଦନ

ବୋଲାଇ ଜଗତେ ନିଅ ଶ୍ରେଷ୍ଠ ଆସନ ।୮।

କୋଟି କୀରତି ମାଳିନୀ ମୋର ଉତ୍କଳ ଜନନୀ

ତବ ଲାଗି ବିକ୍ଷାଦିନୀ ବିଛିନ୍ନ ଅଙ୍ଗେ

ଆସହେ ସକଳ ପୁଅ ପୋଛି ଦିଅ ମାଆ ଲୁହ

ପୂର୍ଣ୍ଣ ହେଉ ଅଙ୍ଗ ତାର ହସୁ ସେ ରଙ୍ଗେ,

ଭରୁ ପୁଣି ନବ ପୁଲକେ

ସର୍ବାଙ୍ଗ ଝଲକି ଉଠୁ କୀର୍ତ୍ତି ଆଲୋକେ ।୯।

ତେଜି ଅଭିମାନ ବାଦ ଗୃହ କଳହ ବିବାଦ

ଭୀରୁତା ଜଡ଼ତା ଦିଅ ଜଳେ ଭସାଇ

ଏ ମହା ଶୁଭ ସମୟେ ମାତିଲେ ଗୃହ କଳହେ

ଅନ୍ୟମାନେ ତବ ଧନ ନେବେ ଛଡ଼ାଇ

ପ୍ରାଣ ପଣେ ସର୍ବ କୁମର

ଜନନୀ ସେବାରେ ଏବେ ହୁଅ ତତ୍‌ପର ।୧୦।

କର୍ତ୍ତବ୍ୟ ପାଳନ ପାଇଁ ବଦ୍ଧ ପରିକର ହୋଇ

ଝାସ ଦିଅ ମାତା ହିତ କର୍ମ ସାଗରେ

ଭାଇ ସହିତରେ ଭାଇ ଆନନ୍ଦେ ମିଳିବା ପାଇଁ

ଦୃଢ଼ ଧୈର୍ଯ୍ୟ ଧରି ଧାଅଁ ମହା ତେଜରେ

ପ୍ରାତୃଟ ତଟିନୀ ଯେସନେ

ଚଳଇ ନ ମାନି ବାଧା ସିନ୍ଧୁ ସଙ୍ଗମେ ।୧୧।

ଦେଖି ତବ ଧୈର୍ଯ୍ୟ ବଳ ଧରା ହେବ ଟଳମଳ

ନ ରହିବ ବାଧା କିଛି ମିଳନ ପଥେ

ଧନ୍ୟ ଉତ୍କଳ ନନ୍ଦନ ଧନ୍ୟ ତବ ପରାକ୍ରମ

ନିନାଦିବ ଏହି ବାଣୀ ସାରା ଜଗତେ

ଓଡ଼ିଆ ପୁଅର ବୀରତ୍ୱ

ଦେଖିବେ ଧରିତ୍ରୀବାସୀ ମୁଗ୍‌ଧ ତକିତ ।୧୨।

•••

 

ଅଠର

ଉଠ ହେ ଉତ୍କଳ ସନ୍ତାନେ ବେଳ ଯାଉଛି ଖସି

ନ ହେବ ଆଉ ଏ ସୁଯୋଗ ପଛେ ଭାଳିଲେ ବସି ।

କେତେ କାଳ ଆଉ ସହିବ ଭ୍ରାତୃ ବିଚ୍ଛେଦ ଦୁଃଖ

ଭାଇ ପାଶୁ ହୋଇ ବିଚ୍ଛିନ୍ନ କିସ ଲଭୁଛ ସୁଖ ।

ନିଜ ସୋଦରଙ୍କୁ ଛାଡ଼ିଣ ଆହେ ଓଡ଼ିଆ ଭାଇ

ପରପାଶେ କିଆଁ ରହିଛ ଦୁଃଖେ ଶିର ନୁଆଁଇ ।

ଶାର୍ଦ୍ଦୁଳ ସନ୍ତାନ ରହିଛ କିଆଁ ଶୃଗାଳ ପରି

ଓଡ଼ିଆ ରକ୍ତ କି ଶରୀରୁ ଏବେ ଗଲାଣି ସରି ।

ଆସିଛି ସୁଯୋଗ ଆସରେ ଧାଇଁ ଏତିକି ବେଳେ

ଗରବେ ଛାତିକି ଫୁଲାଇ ବସ ଜନନୀ କୋଳେ ।

ତେଜି ଅଭିମାନ ଅଳସ ହିଂସା ବିଦ୍ୱେଷ ଭୟ

ଦେଶ ନାମେ ଗର୍ବେ ନିଜର ଦିଅ ହେ ପରିଚୟ ।

ଭାଇ ସଙ୍ଗେ ଭାଇ ମିଶିଣ କର ହେ ଆଲିଙ୍ଗନ

ତା ଦେଖି ହସନ୍ତୁ ଗଗନେ ଚନ୍ଦ୍ର ତାରକା ଗଣ ।

 

ଉତ୍କଳର ଭାଗ୍ୟ ଆକାଶେ ନବ ଶିରୀ ଫୁଟାଇ

ଉଦେ ହେଉ ସୁଖ ତପନ ଅନ୍ଧକାର ତୁଟାଇ ।

ଅସମ୍ଭବ କରେ ସମ୍ଭବ ସିନା ଏକତା ଶକ୍ତି

କ୍ଷୁଦ୍ର ତୃଣ ରଜ୍ଜୁ ରୂପରେ ରୋଧେ ମାତଙ୍ଗ ଗତି ।

କ୍ଷୁଦ୍ର ବାରି ବିନ୍ଦୁ ଏକତ୍ରେ କରେ ଧରା ପାବିତ

କ୍ଷୁଦ୍ର କୀଟ ଐକ୍ୟ ଶକ୍ତିରେ ବାଲମୀକ ରଚିତ ।

ତେସନେ ଏକତ୍ରେ ଜନନୀ ହିତେ ଦିଅ ହେ ମତି

ନିରେଖୁ ମେଦିନୀ ଚକିତ ନେତ୍ରେ ଓଡ଼ିଆ ଶକ୍ତି ।

କୀରତି ମାଳିନୀ ଉତ୍କଳ ମାତା ଭାରତେ ରାଣୀ

ଆମରି ଦୋଷରୁ ଭାଇ ହେ ଆଜି ତା ଅଙ୍ଗ ହାନୀ ।

ଯା ଶୋଭାରେ ଲୋଭା ହୋଇଣ ଲକ୍ଷ୍ମୀ ସଙ୍ଗେ ଶୀପତି

ନୀଳାଚଳ ଧାମେ ଆନନ୍ଦେ କରିଛନ୍ତି ବସତି ।

ଏକାମ୍ର କାନନେ ଉତ୍ତୁଙ୍ଗ ଶିର ମନ୍ଦିର ଦେଖି

ଆସିଲେ ଶଙ୍କର ଗଉରୀ କଇଳାଶ ଉପେକ୍ଷି ।

ଯେ ଦେଶ ଶିଳ୍ପୀଙ୍କ ଶିଳପ କଳା ନିରେଖି ନେତ୍ରେ

ମୁଗ୍‌ଧ ହୋଇ ଦେବ ତପନ ଥିଲେ କୋଣାର୍କ କ୍ଷେତ୍ରେ ।

ବାରବାଟୀ ଦୁର୍ଗ ମଣ୍ଡିଲା ନବତଳ ଭବନ

ଓଡ଼ଆ ବୀରତ୍ୱ କାହାଣୀ ଘୋଷୁଥିଲା ଭୁବନ ।

ସେ ସିନା ତାହାରି ପୁଅଙ୍କ ଯୋଗୁଁ ଆଜି ଶ୍ରୀହୀନ

ଅଶ୍ରୁ ମୁଖୀ ସଦା ଲାଞ୍ଛିତା ଅତି ଅଭାଗୀ ଦୀନା ।

ଦେଖୁଛନ୍ତି ଘୃଣା ତାଚ୍ଛଲ୍ୟେ ଚାହିଁ ଜଗତ ଜନେ

ଅପମାନ ବୋଧ ତିଳେହେଁ ଆସୁ ନାହିଁ କି ମନେ ।

କୋଟିଏ ଓଡ଼ିଆ ସନ୍ତାନ ଧରି ରହିଛ ପ୍ରାଣ

ନାହିଁ କି କାହାରି ହୃଦୟେ ଦେଶାତ୍ମ ବୋଧ ଜ୍ଞାନ ।

ଯେ ଜାତି ନିରବ ନିରେଖି ଜନ୍ମ ଭୂମୀ କଷଣ

ସେ କାହୁଁ ଲଭିବ ଉନ୍ନତ ଜାତି ପାଶେ ଆସନ ।

ଉତ୍କଳ ସନ୍ତାନ ତୁମ୍ଭେଟି ଆହେ ଓଡ଼ିଆ ଭାଇ

ଆପଣା ଜାତୀୟ ଗୌରବ ଭୁଲି ଯାଅ କିମ୍ପାଇ ।

କେଶରୀଣୀ ଗର୍ଭୁ ହୁଏ କି କେବେ ଜମ୍ବୁକ ଜନ୍ମ

ଦେଖାଅ ନିଜକୁ ଉତ୍କଳ ମାତା ଯୋଗ୍ୟ ନନ୍ଦନ ।

ଦେଖାଅ ଜଗତେ ଓଡ଼ିଆ କେବେ ନୁହଇ ହୀନ

ଜାତୀୟ ରକତ ଶରୀରୁ ଭଜି ନାହିଁ ବିଲନ ।

ଯାହା ତ ଯିବାର ଗଲାଣି ଏବେ ଜାଗ ସକଳେ

ମିଳି ମିଶି ମାତୃ ବିଷାଦ ଦୂର କର ହେ ବଳେ ।

ହସି ଉଠୁ ମାତା ଉତ୍କଳ ପୁଣି ନୂତନ ବେଶେ

ଓଡ଼ିଆ ପୁଅଙ୍କ ପ୍ରତିଭା ଘୋଷୁ ଦେଶେ ବିଦେଶେ ।

ତେଜ ଦୃପ୍ତ ପ୍ରାଣେ ଓଡ଼ିଆ ତେଜି ସକଳ ଭୟ

ଝାସ ଦିଅ କର୍ମ ସାଗରେ ଗାଇ ଜନନୀ ଜୟ ।

•••

 

ଊଣେଇଶ

ଉଠ ଲୋ ଜନନୀ ପାହିଲା ରଜନୀ

ଜାଗିଲେଣି କୋଟି ନନ୍ଦନ ତୋର ।

ଅଧମ ସନ୍ତାନ କରୁଣ ଆହ୍ୱାନେ

ନ ଭାଜିବ କି ତୋ ନିଦ୍ରା ଘୋର ।

ଚାହାଁ ଗୋ ଜନନୀ ଉଠାଇ ମୁଖ

କି ଲାଗି ମାଆ ଲୋ ଏତେ ତୋ ଦୁଃଖ

ବହିବାରେ ଫେଇ ହୃଦ ରକ୍ତ ଦେଇ

ପ୍ରକ୍ଷାଳିବି ଦୁଃଖ କାଳିମା ତୋର ।

ଶିଖାଅ ସନ୍ତାନେ ଧୈର୍ଯ୍ୟ ସାହସ

ଜଡ଼ତା ଭୀରୁତା ସତ୍ୱରେ ନାଶ

ତୋହରି ହିତେ ଯାଉ ଏ ପରାଣ

ଜୀବନ ସାର୍ଥକ ହେଉ ମୋର ।

•••

 

ଉତ୍କଳ ସୈନିକମାନ–

କୋଡ଼ିଏ

କମ୍ପାଇ ସରବେ ଅବନୀ ଗଗନ ଗାଅ ହେ ଗମ୍ଭୀର ସ୍ୱନେ

ଧନ୍ୟ ଉତ୍କଳ ଧନ୍ୟ ଉତ୍କଳ ବୀର ସନ୍ତାନ ଗଣେ ।

ପୂର୍ବ ଗୌରବ ସୁମରି ହୃଦୟେ

ଚଳନ୍ତି ଆଜି ଉତ୍କଳ ତନୟେ ।

ରଣାଙ୍ଗନେ ନିଜ ଜାତୀୟ ବୀରତ୍ୱ ସୁମରି ଆପଣା ମନେ ।

ଉତ୍କଳୀୟ କେବେ ନୋହେ ଭୀରୁ ରଣେ

ବୀର ତେଜ ବହେ ପ୍ରତି ରକ୍ତ କଣେ

କାଞ୍ଚି ଜୟେ ତାର ବୀରତ୍ୱ ଜଗତ ଦେଖିଛି ମୁଗ୍‌ଧ ନୟନେ ।

ସେହି ବଳେ ଆଜି ଉତ୍କଳ ସନ୍ତାନ

ଗମେ ଯୁଦ୍ଧ କ୍ଷେତ୍ରେ ରଖି ଜାତିଟ

ବଢ଼ାଇବ ଜନ୍ମ ଭୂମୀର ଗୌରବ ଭୀଷଣ ସମରାଙ୍ଗନେ ।

•••

 

ଓଡିଆ ସୈନିକମାନ–

ଏକୋଇଶ

ଚାଲରେ ସକଳ ଉତ୍କଳ ବୀର କଠିଣ ସମର ପ୍ରାଙ୍ଗଣେ

ଦେଖାଇବା ନିଜ ଜାତୀୟ ଗର୍ବ ଜନନୀର ଯୋଗ୍ୟ ନନ୍ଦନେ ।

ଏତେ ଦିନେ ଭାଇ ପୂରିଲାରେ ଆଶା

ମେଣ୍ଟାଇବା ଖର ସମର ପିପସା

ଡରିଛି କି କେବେ ଉତ୍କଳ ସୁତ ଦେଖି ଭୀମ ରଣ ଅଙ୍ଗନେ ।

ସଙ୍ଗୀନ ବନ୍ଧୁକ ପକାଇଣ କନ୍ଧେ

ବୀର ତେଜେ ପାଦ ଚାଲିବା ଆନନ୍ଦେ

ବୀର ଜାତି ଆମେ କାପୁରୁଷ ପରି ଡରିବା କି ଛାର ମରଣେ ।

ଫୁଟାଇବା ତୋପ ଗୁଡୁମ୍ ଗୁଡୁମ୍

ଫିଙ୍ଗିବ ସାହସେ ବୋମ ଦୁମ ଦୁମ୍

ମୃତ୍ୟୁ ଡାକ ପରି ପଶିବ ସେ ନାଦ ଅରାତିର ବେନି ଶ୍ରବଣେ ।

•••

 

ତରୁଣ ଅଭିଯାନ–

ବାଇଶି

ଆଜି ତରୁଣ ଯାତ୍ରୀ ଚଳଇ ତାଳେ ତାଳେ

ପଶ୍ଚାତ୍‌ପଦ ନାହିଁରେ ତାର ଭାଲେ

ସକଳ ବାଧ୍ୟା ସକଳ ଭୟ

ନିମିଷେ ଆଜି କରିବ ଜୟ

ଗୌରବ ତାରେ ନୟନ ଠାରେ ବିପଦ ଅନ୍ତରାଳେ ।

ନିଶଙ୍କ ତାର ଚରଣ ଗତି

ରୋଧିବ କିଏ ସେ ବୀର ଶକ୍ତି ।

ଉଜ୍ଜ୍ୱଳ ତା’ର ଏ ଅଭିଯାନ ଉତ୍ସାହ ଦୀପ୍ତି ଜାଳେ ।

ନୟନ ମେଲି ଅଳସ ଭୀରୁ ଚକିତେ ତାରେ ଚାହେଁ

ପ୍ରଳୟ ଝଞ୍ଜା ଅନଳ ବାଣୀ ଗମ୍ଭୀରେ ବୀର ଗାଏ ।

ଜୀବନ ପଣେ ଲକ୍ଷ ହେଜି ସେ ପ୍ରଖର ପଦ ଚାଲେ

ଯୌବନ କୂଳେ ଜୁଆର ତାର ଉଠଇ ନବ ତାଳେ ।

•••

 

ଉତ୍କଳ ମାତାର ଚିନ୍ତା–

ତେଇଶି

ବହୁ ଦିନର ଦୁଃଖ ଭାରା ଉଶ୍ୱାସି

କି ବାଣୀ କର୍ଣ୍ଣ ପୁଟେ ବାଜଇ ଆସି

ଏ ଆଶା ସତେ

ପୂରିବ ହେଉଁ ନାହିଁ ମନେ ପରତେ ।

ନ କରେ ନାଶ କାଳ କେଉଁ ଦରବ

ଭାଙ୍ଗି ଯାଇଛି ରାଜ ରାଣୀ ଗରବ

ଦୁଃଖିନୀ ବେଶେ

ଲାଞ୍ଛିତା ଆଜି ମୁଁ ତ ସକଳ ଦେଶେ ।

କାହିଁ ମୋହର ପୂର୍ବ ସୌନ୍ଦର୍ଯ୍ୟ ଛବି

କାହିଁ ମୋହର ସେହି ଗୌରବ ରବି

ସୌଭାଗ୍ୟ ରାଶି

ଚିତ୍ରୋତ୍ପଳା ନଦୀରେ ଯାଇଛି ଭାସି ।

ସନ୍ତାନ ମାନେ ଯାର ଜଡ଼ ପୋଷାଣ

ତାଙ୍କ ମାଆର ଆଉ କାହିଁରେ ଟାଣ

ବିକଳ ଅଙ୍ଗେ

ଯୁଝୁଛି ପ୍ରାଣ ପଣେ ମରଣ ସଙ୍ଗେ ।

ଯେ ସିଂହ ଭୂମି ଲାଗି କେଶରୀ ସମ

ପୂରି ଥିଲା ମୋହର ଅଙ୍ଗେ ବିକ୍ରମ

ମେଦିନୀ ପୁର

ବଢ଼ାଉ ଥିଲା ମୋର ଶୋଭା ପ୍ରଚୂର ।

ବିଦେଶୀମାନେ ଆସି ମୋର ସେ ଅଙ୍ଗ

ଆପଣା ସ୍ୱାର୍ଥ ଲାଗି କଲେ ବିଭଙ୍ଗ

ବିକ୍ଷତ ଦେହେ

କାନ୍ଦି ଅବଶ କଣ୍ଠ ସନ୍ତାନ ସ୍ନେହେ ।

ସବୁ ସମ୍ପଦ ଶିରି ହୋଇଛି ମାଟି

ବିଷାଦେ ବକ୍ଷ ଏବେ ଯାଉଛି ଫାଟି

ପୁଣି କେ ସତେ

ସୁଧା ପ୍ରଲେୟ ଦେଇ ଯୋଡ଼ିବ ମତେ ।

ମୋ କୋଳ ଛାଡ଼ି ମୋର ସନ୍ତାନ ମାନେ

ଭୋଗନ୍ତି ନାନା ଦୁଃଖ ବିକଳ ପ୍ରାଣେ

ମୋହରି କଥା

ପାଶୋରନ୍ତି ଅଗତ୍ୟା ଥାଉଁ ମମତା ।

ମୋ ବାଣୀ ଶିଖିବାକୁ ମନ ଉଚ୍ଚାଟ

ଶିଖନ୍ତି ପର ଭାଷା ନ ପାଇ ବାଟ

ମୋ ପ୍ରିୟ ଭାଷା

ନ ମେଣ୍ଟେ ବାଧ୍ୟେ ତାଙ୍କ ଶିଖିବା ଆଶା ।

ମୋପ୍ରତି ସ୍ନେହ ଭକ୍ତି ଅଛି ତାଙ୍କର

ଘୁଞ୍ଚି ନାହିଁ ଚିତ୍ତରୁ ମୋର ଆଦର

ସେ ସ୍ନେହ ବଳେ

ଆସିବେକି ମୋ ପୁଏ ମୋହରି କୋଳେ ।

ସକଳ ସନ୍ତାନେ ମୋ ଏକତ୍ର ହେଲେ

ପାହିବ ମୋ ବିଷାଦ ରଜନୀ ହେଳେ

ତାଙ୍କ ଗୌରବେ

ହସିବି ପୁଣି ମୁହିଁ ନବ ବିଭବେ ।

ଥିଲେ ଯେ ସବୁ କର୍ମେ ଆଗେ ଅଗ୍ରଣୀ

ଯାହାଙ୍କ ଯଶେ ପୂରିଥିଲା ଧରଣୀ

ମୋର ସେ ପୁଅ

ଜଡ ପରାଏ ଶୋଇ ପୋଛନ୍ତି ଲୁହ ।

ଛିନ୍ନମସ୍ତା ମାଆର ବଦନେ ଚାହିଁ

ଓଡ଼ିଆ ପ୍ରାଣ ଦୁଃଖେ କାନ୍ଦଇ ନାହିଁ

ଏ ଜାତି ଠାରେ

ଜୀବନ ଅଛି ବୋଲି କେ କହିପାରେ ।

କାହିଁ ତାଙ୍କର ସେହି ଶିଳ୍ପ ବିଜ୍ଞାନ

କାହିଁ ତାଙ୍କର କଳ ଗୀତିକା ତାନ

ଉତ୍ସାହ ହୀନ

ଶୌର୍ଯ୍ୟ ବୀର୍ଯ୍ୟ ଅଭାବେ ମୁଖ ମଳିନ ।

ପର ଦେଶେ ଓଡ଼ିଆ ଦାସତ୍ୱ କରି

ଲାଞ୍ଛନା ସହି ଚାଲେ ଜୀବନ ତରି ।

ଗଞ୍ଜଣା କଥା

ଶୁଣି ନ ହୁଏ ତାର ତଳକୁ ମଥା ।

ନବ ଉନ୍ମାଦନାରେ ନ ଜାଗେ ପ୍ରାଣ

ନାହିଁ ତାହାର ହୃଦେ ଜାତୀୟ ଟାଣ

ଦେଶ ନିମନ୍ତେ

ପୂରେ ନାହିଁ ଧମନୀ ଉଷ୍ମ ରକତେ ।

ଭିକ୍ଷା ମାଗିବାସିନା ନିର୍ଜୀବ ରୀତି

ବୀରକୁ ଡରାଏ କି ମରଣ ଭୀତି

ଆପଣା ବଳେ

ସୌଭାଗ୍ୟ ବରେ ବୀର ଏ ଧରା ତଳେ

ସତେ ଓଡ଼ିଆ ନବ ଜୀବନ ଲଭି

ବଜାଇବେ ଜଗତେ ଯଶ ଦୁନ୍ଦୁଭି

ଜ୍ଞାନ ବିଜ୍ଞାନେ

ହସିବି କେବେ ପୁଣି ସେ ସନମାନେ ।

ଜନନୀ ଜନ୍ମଭୂମି ମହା ମନ୍ତରେ

ସିଦ୍ଧ ହେବେ ସାଧନା କରି ଅନ୍ତରେ

ଅନଳ ଭଳି

ଉଠିବେ ପୁଣି ନବ ତେଜରେ ଜଳି ।

•••

 

ଜଳି ଉଠ–

ଚବିଶ

ବାସନା ବୀଜ ହୃଦୟେ ବୁଣି ଅସର ଆଶା ଭରି

ଜନମ ଯେବେ ଲଭିଛ ଭବେ ମାନବ ଦେହ ଧରି ।

କ୍ଷଣକ ଲାଗି ଦୀପ୍ତ ତେଜେ ଉଠରେ ତେବେ ଜଳି

ବିକଶି ଉଠି ଭସ୍ମ ହୁଅ ବାରୁଦ ନିଆଁ ଭଳି ।

ଚାହେନା ମନ ଉଦାସ ପ୍ରାଣ ଜଡ଼ତା ମଗ୍ନ ଜରା

ଯୌବନ ତେଜେ ହସି ହସି ମରଣ ଲଭ ତ୍ୱରା ।

ଯେଉଁ କ୍ଷଣକ ଉଠିବୁ ଜଳି ସେଇ ଆଲୋକ ସ୍ମୃତି

ଅବନୀ ବକ୍ଷେ ଅଙ୍କିତ ରହୁ ଯୌବନ ଦୃପ୍ତ ମୂର୍ତ୍ତି ।

ନାହିଁଟି ଲୋଡା ସ୍ଥବିର ଅଙ୍ଗ ଅନୁଭୂତିର ଜ୍ଞାନ

ସଂସାର କୋଳେ ମନ୍ଥର ଗତି ସୁଦୀର୍ଘ ଅବସ୍ଥାନ ।

ଦୀର୍ଘ ଜୀବନ ଆଲୋକ ହୀନ ଅଙ୍ଗାର ଅଗ୍ନି ପ୍ରାୟେ

ଜଳିବାରେ କି ସାର୍ଥକତା ଭସ୍ମ ନ ହେବା ଯାଏ ।

ଜଳିବୁ ଯଦି ପ୍ରଖରେ ଜଳ ବାରୁଦ ନିଆଁ ପରି

ସେଇ କ୍ଷଣକ ସ୍ମୃତି ଦୁନିଆ ରଖିବ ଚିର ଧରି ।

•••

 

ପଚିଶ

ଉଠ ଗରଜି ଶଙ୍କା ବରଜି ମହିଷ ମର୍ବ୍ଦିନୀ ମୂରତି ଧରି ।

ନେତ୍ର ଚକିତ ତ୍ରସ୍ତ ଜଗତ ଦେଖୁଲୋ ତୁମର ଶକତି ଅରି

ଶତ ଲାଞ୍ଛନା ଅବମାନନା ଅନ୍ୟାୟ ବିରୁଦ୍ଧେ ଧରି ଗୋ ଅସି

ସତ୍ୟର ଜୟ ହେବ ନିଶ୍ଚୟ ମିଥ୍ୟା ନ ଆସୁ ପାଶେ ଭରସି ।

ଛଳନା ମୋହ ଦୂରେ ଏଡ଼ାଅ ବୃଥା ସରମରେ ନ ଯାଅ ସଢ଼ି ।

ଆପଣା ଦାବି ନିଅଗୋ ଭାବି କି ଲାଗି ରହିଛ ପାତାଳେ ପଡ଼ି

ଦଶଟି ମାସ ଗରଭେ ବାସ କରି ନାହିଁ କିଗୋ ସମାନ ଭାବେ

ପାଇକି ନାହିଁ ସନ୍ତାନ ସ୍ନେହ ସମାନେ ସେ ବିଶ୍ୱ ପିତାଙ୍କ ଠାବେ ।

ତେବେ କିଲାଗି ଦୀନା ଅଭାଗୀ କେଉଁ କାରଣେ ମୁକ ବଧୀରା ?

ଗୃହ କରମେ ଲାଗେ ତ ବଳ କି ଲାଗି ତେବେ ଅବଳା ଧୀରା ?

ସ୍ୱାଧୀନା ଏବେ ଭାରତ ମାତା ବିଦେଶୀ ଶାସନ କବଳ ଏଡ଼ି

ମୁକ୍ତ ଅନ୍ତରେ ସେବାରେ ଲାଗି ଦିଅ ତାହାର କଷଣ ଫେଡ଼ି ।

ସମାନ ତାଲେ ଚରଣ ଚାଳ ଭାଇଙ୍କ ସଙ୍ଗେ ଭଉଣୀମାନେ

ଦେଶ ମାତୃକା ଅନ୍ତର ପୂରୁ ଅପୂର୍ବ ଛନ୍ଦ ନବାନ ତାନେ ।

 

ମାଆ ସେବାରେ ପୁଅଙ୍କ ସରି ଝିଅର ସମାନ ଅଧିକାର

ସାହସ ଧରି କରମ କରି ଫୁଟାଅ ବଦନେ ସୁହାସ ତାର ।

•••

 

ଛବିଶ

ଉତ୍କଳ ଜନନୀ ମୋର ରାଜ ରାଜେଶ୍ୱରୀ

ଅଛନ୍ତି ଜଗତ ନାଥ ଯା କୋଳ ଆବୋରି

ଏକାମ୍ର କାନନ

ଭଗ୍ନ କୋଣାର୍କ ମହୀରେ ମହୀୟାନ ।

ଧୋଇଲା ଯେ ପଦ ଦିନେ ଗୋଦାବରୀ ନୀର

ପୂତ ଜଳେ ଭାଗୀରଥି ସିକ୍ତ କଲେ ଶିର

ପୂତ ବାରାନିଧି

ଏବେ ପଖାଳେ ଶ୍ରୀଅଙ୍ଗ ନିରବଧି ।

ଚିଲିକା ଅଂଶୁପା ଚାରୁ ଦରପଣ ଯାର

ଡୁଡ଼ୁମା ବାଗ୍ରା ପ୍ରପାତ ରତନ ଭଣ୍ଡାର

ହୀରକ ମୁକୁଟ

ଶିରେ ବାନ୍ଧେ ହୀରାକୁଦ ଝଟଝଟ

ଅଟ୍ରି ତପତ କୁଣ୍ଡ ସ୍ନାହାନ ସମ୍ଭାର

ମହେନ୍ଦ୍ର ମେଘ ଆସନ ବିଶ୍ରାମ ଆଗାର

ବସି କପିଳାସେ

ହର ଗଉରୀ ଢାଳନ୍ତି ସୁଆଶିଷେ ।

 

ଗଞ୍ଜାମ ସମ୍ବଲ ପୂର ଦିବ୍ୟ ଝୀନ ଶାଢ଼ୀ

ଜନନୀ ଶ୍ରୀଅଙ୍ଗ ଲାଗି ବୁଣନ୍ତି ସଜାଡ଼ି

ମଣ୍ଡଇ କଟକ

ଅଙ୍ଗେ ତାରକସି ଭୂଷଣ ଝଟକି ।

ଉଦ୍ୟାନ ବାଢ଼ଇ ଭୋଗ ପକ୍ୱ ମିଷ୍ଟ ଫଳ

ନାନା ଉପଚାର ଘେନି ଦୁର୍ଗବାଳା ଦଳ

ରାଜ ରାଜେଶ୍ୱରୀ

ପଦ ପୂଜନ୍ତି ଉଲ୍ଲାସ ମନେ ଭରି ।

•••

 

ସତେ–

ସତେଇଶ

ସତେ କି ମଣ୍ଡିବ ଉତ୍କଳ ବଦନ

ନବ ଗଉରବ ଶିରୀ

ଭୁବନ ବିଖ୍ୟାତ ହେବେ ଉତ୍କଳର

ତରୁ ଲତା ବନ ଗିରି ।

ଉଇଁଲେ ଉଜ୍ଜ୍ୱଳ ସ୍ୱାଧିନ ତପନ

ଭାରତ ଗଗନ ଭାଲେ

ଓଡ଼ିଆର ଦୈନ୍ୟ ଜଡ଼ତା ଦୁର୍ଦ୍ଦଶା

ନାଶ ଯିବ କେଉଁ କାଳେ ।

ଜନନୀ ବେଦନା ବିନାଶ ନିମନ୍ତେ

ବ୍ରତୀ ହେବେ ସବୁ ଭ୍ରାତା ।

ଏ ନବ ଯୁଗରେ ଉତ୍କଳ ସତେ କି

ବୋଲାଇବ ବୀର ମାତା ।

ତେଜି ଭେଦ ଭାବ ଉତ୍କଳ ସନ୍ତାନ

ବାନ୍ଧି ହେବେ ଏକତାରେ

ପଣ କରିବେ କି ନିଜ ଜୀବନକୁ

ଜନମ ଭୂମି ସେବାରେ ?

ଆଙ୍କିବା ନିମନ୍ତେ ଜନନୀ ପବିତ୍ର

ଆନନେ ଆନନ୍ଦ ରେଖା ।

ପ୍ରତି ସନ୍ତାନ କି କର୍ମ ଭୂମେ ଆସି

ବୀର ଦର୍ପ ଦେବେ ଦେଖା ।

ସତେ କି ତାହାର ଗୌରବ ତିଳକ

ଆଣିବେ ତା ସୁତେ ବରି

ଏ ବିଶ୍ୱେ ଏଦେଶ ପାଇବ କି ଶୋଭା

ଉଜ୍ଜ୍ୱଳ ରତନ ପରି ।

ଉତ୍କଳ ନନ୍ଦନ ନୋହେ ଅପାରଗ

ଦେଖିବ ବିଶ୍ୱ ନୟନ

ସତେ କି ଊତ୍କଳ ଗୌରବ ଆଲୋକେ

ଦୀପ୍ତ ହେବ ଏ ଭୁବନ ।

ତନୟ ତନୟା ଭୁଲି ନିଜ ସ୍ୱାର୍ଥ

ଅରଜି ଯଶ ଗୌରବ

ଠୁଳ କରିବେ କି ଜନନୀ ଭଣ୍ଡାରେ

ନିତି ନବ ବଇଭବ ।

•••

 

ଆବାହନ–

ଅଠେଇଶ

ଉତ୍କଳ ଭାଗ୍ୟ ଗଗନ ଆଲୋକିତ କରି

ଉଇଁଆସ ସବିତା ହେ ନବ ତେଜ ଧରି ।

ପାହି ଯାଉ ଉତ୍କଳର ଦୁଃଖ ଅମା ରାତ୍ର

ସଙ୍ଗେ ଘେନି ଆସ ନବ ଆନନ୍ଦ ବିଭାତ ।

ଉତ୍କଳ ନନ୍ଦିନୀ ତବ ଆଗମନ ଫଳେ

ଫୁଟି ଉଠୁ ହର୍ଷେ ନବ ଜାଗରଣ ଛଳେ ।

ବଢ଼ାଇ ସମ୍ମାନ କର ହେ ଦେବ ମିହିର

ପୋଛି ଦିଅ ତା ନୟନୁ ଲୋତକ ଶିଶିର ।

ମଣ୍ଡିତା ହେଉ ସେ ଜ୍ଞାନ ବିଜ୍ଞାନ ଗୌରବେ

ମୋହିତ ହୁଅନ୍ତୁ ସର୍ବେ ତା ମୃଦୁ ସୌରଭେ ।

ତବ କନକ କିରଣ ସୁଷମା ରଞ୍ଜିତା

ଏ ଉତ୍କଳ ଜନନୀ ମୋ ହେଉ ପୁଲକିତା ।

ଜଳେ ସ୍ଥଳେ ହୋଇ ତବ ପ୍ରତିଭା ବିମ୍ବିତ

ଜଡ଼ତା ତାମସ ରାଶି କରୁ ବିତାଡ଼ିତ ।

 

ସୃଷ୍ଟି ସ୍ଥିତି ଯାଏ ଉଦେ ହୋଇ ନିୟମିତ

ଉତ୍କଳକୁ କର ନବ ବର୍ଣ୍ଣେ ବିଭାସିତ ।

•••

 

ଉବ୍ଦୋଧନ–

ଅଣତିରିଶ

ପାହି ଆସିଲାଣି ଉତ୍କଳର ଅମା ରାତି

ଦିଶିଲାଣି ପ୍ରଚୀ ମୂଳେ ଅରୁଣିମା ଭାତି ।

ବୃଥା ମୋହ ନିଦ୍ରା ସୁଖେ ଦେଇ ଜଳାଞ୍ଜଳୀ

ଜାଗ ଜାଗ ଭାଇ ଦେବା ପାଇଁ ଆତ୍ମବଳୀ ।

କି ମୋହନ ମନ୍ତ୍ର ବଳେ ଅଚେତନ ହୋଇ-

ନିଜର ଦୁର୍ଦ୍ଦଶା ଚିତ୍ର ବିଭୀଷିକା ମୟୀ ।

ଗତ ରଜନୀରେ ଦେଖୁଥିଲ ସେ ସ୍ୱପନ

ମୃର୍ତ୍ତିମନ୍ତ ତାହା ଦେଖ ମେଲାଇ ନୟନ ।

ପୂର୍ବରୁ ସଞ୍ଚିତ ଯାହା ଥିଲା ତୁମ ପାଇଁ

ଫେଡ଼ ନେତ୍ର ଏବେ ସବୁ ଯାଉଛି ଉଭାଇ ।

ଶୁଣ ଚୌଦିଗୁ ଉଠୁଛି କ୍ରନ୍ଦନର ରୋଳ

ତବ ଭ୍ରାତା ହାହାକାର ମାତାର ବିକଳ ।

ହେଉଛି ତବ ସୌଭାଗ୍ୟ ଅନ୍ୟ କରଗତ

ଶୋଇ ଅନାୟାସେ ତାହା ହେବ କି ପ୍ରାପତ ?

 

କିସ ଥିଲ କି ହେଲାଣି ଚାହିଁ ଭାଇ ଥରେ

ସାହା ହେବା ପାଇଁ କେହି ନାହିଁଟି ପାଖରେ ।

ନିଜ ପଦେ ଠିଆ ହୁଅ ନିଜେ ଦମ୍ଭ ଧରି

ନ ରହ ନ ରହ ଭାଇ ଆଉ ଜଡ଼ ପରି ।

ବିଳମ୍ବରେ କାର୍ଯ୍ୟ ନାଶ ଶାସ୍ତ୍ରର ବଚନ

କର ଭାଇ ଶିଘ୍ର ଶୁଭ କାର୍ଯ୍ୟ ସମ୍ପାଦନ ।

ଜୀବନକୁ ପଣ କରି ଖେଳିଯାଅ ଭାଇ

ପୂରବ ବିଭବ ନିଶ୍ଚେ ପାଇବ ଫେରାଇ ।

ଅନିତ୍ୟ ଅସ୍ଥିର ସଦା ଭବ କାରବାର

କ୍ଷଣେ ଉଜ୍ଜ୍ୱଳ ଆଲୋକ କ୍ଷଣକେ ଅନ୍ଧାର ।

ଖେଳି ଯାଅ ଭାଇ ତବ କର୍ତ୍ତବ୍ୟର ଖେଳା

ପଛେ ଝୁରି ହେଉଥିବ ଚାଲିଗଲେ ବେଳା ।

ଜାଗ ଜାଗ ଜାଗ ଭାଇ ଏହିଟି ସମୟ

ଲାଭ ନାହିଁ ବୃଥା କରି ବେଳ ଅପଚୟ ।

(୧୯୩୬ ମସିହା ପୂର୍ବେ ସହକାରରେ ପ୍ରକାଶିତ)

•••

 

ତିରିଶ

ଓଡ଼ିଆ ପିଲା ମୁହିଁ ରେ ଭାଇ ଓଡ଼ିଆ ପିଲା ମୁହିଁ

ପିଲାଟି ଦିନୁ ପାଳିଛି ମୋତେ ଓଡ଼ିଶା ଦେଶ ଭୂଇଁ ।

ଏ ମାଟି ଫଳେ ପୁଷ୍ଟ ମୋ ଦେହ

ଏହା ଭାଷାରେ ଫିଟିଛି ମୁହଁ

ଏହାରି କୋଳେ ଖେଳି ବୁଲି ବଢ଼ିଛି ପରେ ମୁହିଁ ।

ଏ ମାଟି କୋଳେ ଜନମ ଯିଏ

ଭାଇ ଭଉଣୀ ମୋର ସଭିଏଁ

ଦିଏ ଏ ମାଆ ଆହାର ନିଜ ବକ୍ଷରୁ ରସ ଦୁହିଁ ।

ଏ ଦେଶ ହିତେ ଦେହି ମୁଁ ପ୍ରାଣ

ଜଗିବି ଜନ୍ମ ଭୂମିର ମାନ

ମାତା ଗୌରବେ ପରାଣେ ମୋର ପୁଲକ ଯିବ ଛୁଇଁ ।

ବଢ଼ିଛି ମୁହିଁ ଏହାରି ଅଙ୍ଗେ

ମିଶିବି ଶେଷେ ଏ ମାଟି ସଙ୍ଗେ

ସ୍ୱରଗ ଠାରୁ ବଡ଼ ଏ ମୋତେ ମୋର ଜନମ ଭୂଇଁ

ଜନମ କଲା ଜନନୀ ସମ ପାଳିଛି ଏହି ଭୂଇଁ ।

Image